travel2Puri.com

travel2Puri.com www.travel2puri.com ,plz visit & share this web site.... get a large information on puri lord jagannath & many more. cont.- 09438666008

www.travel2puri.com ,plz visit & share this web site.... get a large information on puri lord jagannath & many more.for like this link on facebook ,plz log on to travel2puri.com..

 #ମହାପ୍ରଭୁଙ୍କ_ଗର୍ଭଉଦକ_ବନ୍ଦାପନା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ...
17/08/2022

#ମହାପ୍ରଭୁଙ୍କ_ଗର୍ଭଉଦକ_ବନ୍ଦାପନା
ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଅନ୍ତି। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ। ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼(ଜେଉଟ)ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି। ପାଣି ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ "ଗର୍ଭଉଦକ ବନ୍ଦାପନା "କୁହାଯାଏ। ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ।
ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନ ଜାନାତି କୁତୋ ମନୁଷ୍ୟଃ?
ରାମଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବରାତ୍ରିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯାଏ।ଏହି ଭୋଗ ଓଉ କିମ୍ବା ଆମ୍ବ,ସାରୁ,ମଞ୍ଜାଆଦିରୁ ପ୍ରସ୍ତୁତ ହୁଏ।ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ।ଭୋଗ ସମର୍ପଣ ପରେ ଠାକୁର ମାନଙ୍କର ବନ୍ଦାପନା କରାଯାଏ। ଏଠାରେ ଭାବିବା କଥା ଜଗନ୍ନାଥ ତ ନିଜେ ରାମ କୃଷ୍ଣ ହୋଇ ଜନ୍ମ ହୋଇଥାନ୍ତି।ତେବେ କେଉଁ କାରଣରୁ ତାଙ୍କୁ ଗର୍ଭକଷ୍ଟ ନିବାରଣ ଭୋଗ ସମର୍ପଣ କରାଯାଏ ଓ ପରଦିନ ସେହିଁ ରାମ କୃଷ୍ଣ ହୋଇ ଜନ୍ମ ନିଅନ୍ତି ଏବଂଶ୍ରୀମନ୍ଦିରରେ ତାଙ୍କ ଜନ୍ମନୀତି ପାଳନ କରାଯାଏ।ଅର୍ଥାତ ପ୍ରଭୁ ରାତିରେ ନିଜେ ମାଆ ହୁଅନ୍ତି ଓ ସକାଳକୁ ପୁଅ ହୋଇ ଜନ୍ମ ହୋଇ ସାରିଥାନ୍ତି।ତେବେ ଏ ଭୋଗର ରହସ୍ୟ କଣ?ଗୀତାରେ ଏହାର ଉତ୍ତର ଅଛି।
"ପିତାମହସ୍ୟ ଜଗତୋ ମାତାଧାତା ପିତାମହଃ"।ଏହାର ଅର୍ଥ ପରମାତ୍ମା ଏ ଜଗତର ପିତା,ମାତା,ଧାତା(ସୃଷ୍ଟିକର୍ତ୍ତା)ଓ ପିତାଙ୍କ ପିତା ପିତାମହ।ଏହିପରି ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ପାଳିତ ହେଉଥିବା ରୀତିନୀତି ଗୁଡିକର ସ୍ବତନ୍ତ୍ର ତାତ୍ପର୍ଯ୍ୟ ରହିଛି।
ନୀଳାଦ୍ରି_ମହୋଦୟ ଅନୁସାରେ
ଭାଦ୍ରବ କୃଷ୍ଣ ସପ୍ତମୀରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଜଗନ୍ନାଥଙ୍କୁ ପଖାଳ ଅନ୍ନ ନୈବେଦ୍ୟ ଦିଆଯାଏ।

କୃଷ୍ଣାୟାମଥ ସପ୍ତମ୍ୟାଂ ସାୟଂପୂଜାବିଧାନତଃ।
ଦେବକୀସାନ୍ତ୍ୱନାର୍ଥାୟ ଜଗଦୀଶଂ ପୁନର୍ଯଜେତ୍।।

ଭାଦ୍ରବ କୃଷ୍ଣ ସପ୍ତମୀରେ ସାୟଂକାଳ ପୂଜାପରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥଙ୍କୁ ପୁଣିଥରେ ପୂଜା କରିବ।

ନାନାବ୍ୟଞ୍ଜନସଂଯୁକ୍ତଂ ନାନାପୂପସମନ୍ୱିତମ୍।
କ୍ଷାଳିତାନ୍ନଂ ଚ ନୈବେଦ୍ୟଂ ତଦାଦଦ୍ୟାନ୍ମହୀପତେ।।

ହେ ରାଜା ! ନାନାବିଧ ବ୍ୟଞ୍ଜନ ଏବଂ ନାନା ପ୍ରକାର ପିଠା ସହ ଧୂଆ ପଖାଳ ନୈବେଦ୍ୟ ଅର୍ପଣ କରିବ।
ଜଗତ ମଙ୍ଗଳ ପୁରୁଷ। ଦେବକୀ ଉଦରେ ପ୍ରବେଶ।।
ଉଦୟ କାଳେ ଯେହ୍ନେ ଶଶୀ। ପୂର୍ବ ଦିଗରୁ ପରକାଶି।।
କୃଷ୍ଣଙ୍କୁ ଧରିଣ ଉଦର। ଦେବକୀ ଦିଶିଲା ସୁନ୍ଦର।।
ଅନ୍ଧାର ବନ୍ଦୀଘରେ ତେଜ। ଯେହ୍ନେ ଉଦିତ ଗ୍ରହରାଜ।।
ଦେବକୀ ଗର୍ଭବାସ କଥା। ଶୁଣି ପାଇଲା କଂସ ବ୍ୟଥା।।
ଭୟେ ଚକିତ ମନେ ଛନ୍ନ। ମିଳିଲା ଦେବକୀ ଭୁବନ।।
ସାତ କବାଟ ଫେଡ଼ାଇଲା। ଅନ୍ଧାର ଘରକୁ ଚାହିଁଲା।।
ଉଦୟ ହୋଇ ଦିନକର। ଯେହ୍ନେ ନାଶଇ ତମ ଘୋର।।
ଦେଖି ଚକିତ କଂସ ମନେ। ଭାଳି ବୋଲଇ ଭୟଛନ୍ନେ।।
ନିଶ୍ଚୟେ ହୋଇଲା ମରଣ। ଏ ତ ଅନାଦି ନାରାୟଣ।।
ଗର୍ଭେ ବିଜୟେ ବ୍ରହ୍ମରାଶି। ଏ ମୋର କାଳ ଦଣ୍ଡଫାଶୀ।।
ଜୀବନ ନାଶିବ ମୋହର। ଦେବକୀ ବଡ଼ଇ ସୁନ୍ଦର।।
ଏ ଯେତେ ଗର୍ଭ ପ୍ରସବିଲା। ଏମନ୍ତ ବେଳେ ନ ଦିଶିଲା।।
କି ବୁଦ୍ଧି କରିବଇଁ ଆଜ। ମାରିଣ ଲଭିବଇଁ କାର୍ଯ୍ୟ।।
ଏସନ ମନେ ବିଚାରଇ। ମୁନି ତ ଯାଇଛନ୍ତି କହି।।
ଯାହା କହିଲେ ବ୍ରହ୍ମାସୁତ। ସେ କଥା ନୋହଇ ବିଅର୍ଥ।।
ଯାଦବେ ମୋହର ବଇରୀ। ମୋର ମରଣ ହେତୁ କରି।।
ଦେବକୀ ବସୁଦେବ ଆଦି। ଏ ମୋର ଅଟନ୍ତି ବିବାଦୀ।।
ଭିଣୋଇ ଗୁଣ କର୍ମମାନ। ଯୁବତୀ କଲା ଭିନ୍ନ ଭିନ୍ନ।।
ଆତ୍ମବହେଣୀ ମୋର ଶଲ। ମୋହରେ ନ ଇଚ୍ଛଇ ଭଲ।।
ସପ୍ତମଗର୍ଭ କେଣେ ନେଲା। ବୋଇଲା ଗର୍ଭ ଉଭେଇଲା।।
ଏ ଯେ ମୋହର ଅପରାଧୀ। କିସ କରିବି ଏବେ ବୁଦ୍ଧି।।
ହସ୍ତରେ ଅଛି ମୋ' ଉପାୟ । ଛାଡ଼ିଲେ ନ ପାଇବି କାୟ।।
ଦେବକୀ ପକାଇବି ମାରି। ଗର୍ଭ ନାଶିବି ପେଟ ଚିରି।।
ପୁଣି ବିଚାରୁଅଛି ମନେ। ଏ କର୍ମ କରିବି କେସନେ।।
ଜୀବନ ପାଇଁ ଏଡ଼େ ପାପ। କରି ପାଇବି ମନେ ତାପ।।
ଉଭୟ ଲୋକେ ସୁଖ ନାହିଁ। ନରକେ ପଡିବି ମୁଁ ଯାଇ।।
ପାପର ମଧ୍ୟେ ପରମାଦ। ସ୍ତିରୀ ଗର୍ଭିଣୀ ଶିଶୁବଧ।।
ଏ ତିନି କର୍ମ ଯେ କରନ୍ତି। ଜୀବନ ଥାଉଁ ସେ ମରନ୍ତି।।
ତାହାର ମରିବାର କାଳେ। ନିନ୍ଦିତ ବୋଲନ୍ତି ସକଳେ।।
ଇହଲୋକରେ ଅପଯଶ। ମରଣେ ନରକେ ପ୍ରବେଶ।।
ଏମନ୍ତ ମନେ ବିଚାରିଲା। ଖଡ଼ଗ ଘେନି ବାହୁଡିଲା।।
ମିଳିଲା ନିଜପୁରେ ଯାଇ। ଭାଳଇ ଚଉଦିଗ ଚାହିଁ।।
ହରିଙ୍କି କଲା ମହାଭୟ। କ୍ଷଣ କ୍ଷଣକେ କମ୍ପେ କାୟ।।
ଆସନ ଶୟନ ଭୋଜନେ। ସ୍ନାନ ବିହାର ଜଳପାନେ।।
ଗୋଡ଼ାଇଛନ୍ତି ଯେହ୍ନେ ହରି। କମ୍ପଇ ମହାଭୟ କରି।।
ବୃକ୍ଷ କାନନ ନଦୀ ଗିରି। ସକଳ ମଣେ ନରହରି।।
ଏମନ୍ତେ ରଜନୀ ହୋଇଲା। ଘୋର ତିମିର ପ୍ରକାଶିଲା।।

ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ। ତେତିଶ କୋଟି ଦେବବଳେ।।
ମିଳିଲେ ମଥୁରା ନବରେ। ଦେବକୀ ଦେବୀ ବନ୍ଦୀଘରେ।।
ପ୍ରଣାମ କଲେ ଜଣେ ଜଣେ। ଶ୍ରୀକୃଷ୍ଣ ଜନନୀ ଚରଣେ।।
ଗର୍ଭକୁ ଚାହିଁ ଗଙ୍ଗାଧର। ସ୍ତୁତି କରନ୍ତି ବେଦବର।।
ବାସବ ଆଦି ଦିଗପତି। ଯେ ଯାହା ମତେକଲେ ସ୍ତୁତି।।
ଜୟ ଗୋବିନ୍ଦ ଦାମୋଦର। ସତ୍ୟ ବଚନ ସ୍ୱାମୀ ତୋ'ର।।
ଆବୋରି ଅଛୁ ତିନି ସତ୍ୟ। ସୃଷ୍ଟିର ଆଦି ମଧ୍ୟ ଅନ୍ତ।।
ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ। ସତ୍ୟ ସ୍ୱରୂପ ତୁ ଅଚ୍ୟୁତ।।
ସତ୍ୟେ ତୁ ପାଳୁ ବସୁନ୍ଧରୀ। ତୋ'ର ଭିଆଣ ନରହରି।।
ସତ୍ୟର ହେଉ ତୁହି ସତ୍ୟ। ସତ୍ୟ ବଚନ ସତ୍ୟନେତ୍ର।।
ସତ୍ୟେ ତୋହର ଆତଯାତ। ଆମ୍ଭେ ଜାଣିଲୁ ତୋ'ର ସତ୍ୟ।।
ତୋ'ର ଏ ସଞ୍ଚିଲା ଶୟଳ। ଦୁଷ୍ଟ ନିବାରି ସନ୍ଥ ପାଳ।।
ଅସାଧୁ ମାରି ସତ୍ୟପାଳ। ତୋହର ଶରଣ ସକଳ।।
ସଂସାର ମଧ୍ୟେ ଦେହବୃକ୍ଷେ। ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ।।
ବୃକ୍ଷର ଯେତେ ଗୁଣମାନ। ଶରୀରେ ତୋହର ଭିଆଣ।।
ଏକଇ ବୃକ୍ଷ ବେନିଫଳ। ଚତୁର ରସ ତିନିମୂଳ।।
ପଞ୍ଚ ଶିକଡ଼ ତଳେ ଗଣ୍ଠି। ଆତ୍ମା ଏହାର ଷଡ଼ଗୋଟି।।
ସାତ ବକଳ ଦେହେ ଜଡି। ଅଷ୍ଟମ ଡାଳେ ଛନ୍ତି ବେଢି।।
ଗଣ୍ଠି ସ୍ୱଭାବେ ନବନେତ୍ର। ବିସ୍ତାର ହୋଇ ଦଶପତ୍ର।।
ଉପରେ ଛନ୍ତି ବେନି ପକ୍ଷୀ। ଏମନ୍ତ ବୃକ୍ଷ ଦେହେ ଲକ୍ଷି।।
ମୁନି ବୋଲନ୍ତି ରାୟେ ଶୁଣ। ଦେହେ କହିବା ବୃକ୍ଷଗୁଣ।।
ବୃକ୍ଷର ପ୍ରାୟେ ଦେହ ଏକ। ଫଳ ଯୋଡିଏ ଦୁଃଖସୁଖ।।
ତାମସ ରଜ ସତ୍ତ୍ୱ ଗୁଣ। ଏହାର ମୂଳଟି ପ୍ରମାଣ।।
ଧର୍ମ ସମ୍ପଦ କାମ ମୋକ୍ଷ। ଏ ଚାରି ରସଟି ପ୍ରତ୍ୟକ୍ଷ।।
ଶବଦ ରୂପ ରସ ଗନ୍ଧ। ସ୍ପରଶ ପଞ୍ଚମୂଳ ଛନ୍ଦ।।
ଜନ୍ମ ହୋଇଣ ଦେହ ବହି। ବାଳୁତ ରୂପେଣ ବଢ଼ଇ।।
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ। ଆତ୍ମବିକାର ଷଡ଼ ହେତୁ।।
ଚର୍ମ ଶୋଣିତ ମାଂସ ମେଦ। ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ।।
ସପତ ବକଳ ଏହାର। ମୁନି କହନ୍ତି ଜ୍ଞାନସାର।।
ଭୂଜଳ ଅନଳ ସମୀର। ଖ ମନ ବୁଦ୍ଧି ଅହଙ୍କାର।।
ଏ ଅଷ୍ଟଡାଳଟି ଏହାର। ନବମ ଛିଦ୍ର ନବଦ୍ୱାର।।
ଦଶ ଇନ୍ଦ୍ରିୟ ପତ୍ର ଲେଖି। ଜୀବ ପରମ ବେନି ପକ୍ଷୀ।।
ଏମନ୍ତ ବୃକ୍ଷ ରୂପ ବହି। ଭାରା ଉଶ୍ୱାସି ରଖ ମହୀ।।
ଜଗତ ତୋର ତହୁଁ ଜାତ। ଲୟ ପାଳନ ଜଗନ୍ନାଥ।।
ତୋର ମାୟାରେ ମୂର୍ଖ ଜନ। ଆତ୍ମାକୁ ଦେଖନ୍ତି ସେ ଭିନ୍ନ।।
ଜ୍ଞାନୀଏ ଦେଖନ୍ତି ସେ ଏକ। ମାୟାରେ ଦିଶୁ ତୁ ଅନେକ।।
ତୁ ଏ ସଂସାର ଦୁଃଖନାଶେ। ଶରୀର ବହୁ ନାନା ଅଂଶେ।।
ସାଧୁଙ୍କୁ ଦିଶୁ ତୁ ନିର୍ମଳ। ଖଳଲୋଚନେ ଯେହ୍ନେ କାଳ।।
ଯେ ତୋ'ର ପାଦେ ପଦ୍ମନାଭ। କରନ୍ତି ଆତ୍ମଜ୍ଞାନେ ଭାବ।।
ତୋହର ନାମ ନାବ କରି। ହେଳେ ତରନ୍ତି ଭବବାରି।।
ଭୋ ନାଥ କମଳଲୋଚନ। ମାୟାରେ ମୋହୁ ପ୍ରାଣୀ ମନ।।
ଯେ ତୋ'ର ନାମ ନ ଭଜନ୍ତି। ମାୟାପଟଳେ ବଣା ହୋନ୍ତି।।
ତୀର୍ଥସେବନ-ଦାନ-ତପେ। ତରିଲୁ ବୋଲୁଥା'ନ୍ତି ଆପେ।।
କରନ୍ତି ସିଦ୍ଧଙ୍କ ଉପାୟେ। ଭେଦନ୍ତି ବ୍ରହ୍ମଲୋକ ଯାଏ।।
ତୋ'ପାଦେ ନ କରି ଆଦର। ହୃଦେ ବହନ୍ତି ଅହଙ୍କାର।।
ତହୁଁ ପଡ଼ନ୍ତି ଦେହ ଘେନି। ଜନ୍ମ ହୁଅନ୍ତି ନାନା ଯୋନି।।
ଯେ ତୋ'ର ତହିଁ ମିତ୍ରପଣେ। ଚିତ୍ତ ଖଟାନ୍ତି ଅନୁକ୍ଷଣେ।।
ନିର୍ଭୟେ ଭ୍ରମନ୍ତି ସଂସାରେ। ନୃତ୍ୟ କରନ୍ତି ଜମ ଶିରେ।।
ସତ-ନିର୍ମଳ-ଗୁଣ ଧରୁ। ଭକ୍ତଙ୍କ ପାଇଁ ଅବତରୁ।।
ତପ-ସମାଧି-ଯୋଗ-କ୍ରିୟା। ବେଦେ କହନ୍ତି ମୁନି ଯାହା।।
ତୋ ଆରାଧନୁଁ ନାହିଁ ଆନ। ତୁ ପୂରିଅଛୁ ସ୍ଥଳ ଶୂନ୍ୟ।।
ତୁ ଯେବେ ନୋହିବୁ ଜଗତେ। ଅଜ୍ଞାନ ନାଶିବୁ କେମନ୍ତେ।।
ଯେ ତୋତେ ଯେମନ୍ତ ଚିନ୍ତଇ। ଗୁଣ ପ୍ରକାଶୁ ଦେହ ବହି।।
ତୋହର ଗୁଣ-କର୍ମମାନ। ସଂଖ୍ୟା କେ କରୁ ଭଗବାନ।।
ମନ-ବଚନେ ହେଁ ନ ଜାଣି। କେବଳ ବେଦେ ପରିମାଣି।।
ଶ୍ରବଣେ ତୋ'ର ନାମ ଶୁଣି। ତୋ ରୂପ ହୃଦେ ପରିମାଣି।।
ତୋ'ପାଦପୂଜାର ବିଧାନ। ଏଣେ ଯେ ହୋନ୍ତି ସାବଧାନ।।
ଜନ୍ମ ମରଣ ତା'ଙ୍କ ନାହିଁ। ଏମନ୍ତ ପ୍ରଭୁ ଭାବଗ୍ରାହୀ।।
ତୋହର ପାଦୁଁ ଜାତ ମହୀ। ତା' ଦୁଃଖ ନ ପାରିଲୁ ସହି।।
ତୋହର ପାଦରଜ ଦେଇ। ଉଶ୍ୱାସ କର ନାଥ ମହୀ।।
ସ୍ୱର୍ଗେ ପଶିବୁ ପଦ୍ମନାଭ। ତହିଁ ଦେଖିବୁ ତୋ'ର ଭାବ।।
ଏ ତୋ'ର ଦେହବନ୍ତ ପଣ। ଏବେ ଜାଣିଲୁ ନାରାୟଣ।।
ମନୁଷ୍ୟ ଲୀଳାର ଯେ ଭାବ। ଯା'ରୂପ ନ ଜାଣନ୍ତି ଦେବ।।

ମତ୍ସ୍ୟ କଚ୍ଛପ ନରସିଂହ। କୋଳ ବାମନ ହଂସ ହୟ।।
ରାଜନ ଋଷିଦେବ ବଂଶେ। ଜନ୍ମ ତୁ ହେଉ ଯୋଗଅଂଶେ।।
ତିନି-ଭୁବନେ ଦୁଃଖ ନାଶି। ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି।।
ଅବନୀ ଭାରା ଏବେ ହର। ଭୋ ନାଥ ଶରଣ ତୋହର।।
ଏମନ୍ତେ ପାହିଲା ରଜନୀ। ଦେବକୀ ମୁଖ ଚାହିଁ ଭଣି।।
ତୋ'ର ଉଦରେ ଜଗନ୍ନାଥ। ଜଗତ ରଖିବେ ତୋ'ସୁତ।।
ଶୁଦ୍ଧ ଚୈତନ୍ୟ ରୂପ ଘେନି । ପ୍ରକାଶ ହୋଇବେ ମେଦିନୀ।।
କଂସର ଭୟ ଛାଡ଼ ଆଈ। ଯାହାର ନାମେ ଦୁଃଖ ନାହିଁ।।
ଅରୁଣ ତେଜ ପ୍ରକାଶିଲା। ଦେବଙ୍କୁ ଉଚ୍ଚାଟ ଲାଗିଲା।।
ବ୍ରହ୍ମାଶଙ୍କର ଆଗେ କରି। ଦେବେ ଚଳିଲେ ଯେଝାପୁରୀ।।
ଶ୍ରୀହରି-ଚରଣେ ମୋ'ଚିତ୍ତ। ସୁଜନ ହିତେ କଲି ଗୀତ।।
ଦଶମସ୍କନ୍ଧେ ହରିବାଣୀ। ଶୁଣି ନିର୍ମଳ ହୁଅ ପ୍ରାଣୀ।।
ପୁରାଣ କଲି ଗୀତ ରସ। କହଇ ଜଗନ୍ନାଥ ଦାସ।।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ....ହରେ କୃଷ୍ଣ.....ହରେ କୃଷ୍ଣ....

ଶ୍ରୀ ବଳଭଦ୍ରଙ୍କ   ଜନ୍ମୋତ୍ସବ ନୀତି  :"ବଳଭଦ୍ରାକୃତିର୍ଜାତା ବଳରୂପସ୍ୟ ଚିନ୍ତନାତ୍ । କ୍ଷଣଂ ନ ସହତେ ସା ହି ମୋକ୍ତୁଂ ଲୀଳାବତାରିଣମ୍ ।।"ଶ୍ର...
14/08/2022

ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି :
"ବଳଭଦ୍ରାକୃତିର୍ଜାତା ବଳରୂପସ୍ୟ ଚିନ୍ତନାତ୍ ।
କ୍ଷଣଂ ନ ସହତେ ସା ହି ମୋକ୍ତୁଂ ଲୀଳାବତାରିଣମ୍ ।।"

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ। ଏହି ପବିତ୍ର ଜନ୍ମୋଉତ୍ସଵ ବିଧିବଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ।
ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ।

ଶ୍ରୀବିଗ୍ରହମାନଙ୍କୁ ୩ଖଣ୍ଡ ଆଜ୍ଞାମାଳ , ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ। ଭିତରେ ପାଣି ପଡି ବଡ଼ ବାଡ଼ଙ୍କ ସମ୍ମଖ ତଳେ ଷଷ୍ଠୀ ଦେଵୀ , ମାର୍କଣ୍ଡ ଓ ବରୁଣ ପୂଜା ପାଇଁ ମୁରୁଜ ଠା କରାଯାଏ। ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡଶ ଉପଚାର ରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ପୁନଶ୍ଚ ଭିତରେ ପାଣି ପଡି ଧୋ ପଖାଳ ହୁଏ। ତତ୍ପରେ ଜନୈକ ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ , ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ , ଭୂଦେବୀ , ଶ୍ରୀମଦନମୋହନ ଝୁଲଣ ମଣ୍ଡପ କୁ ବିଜେ କରିଥାନ୍ତି ।

ଚଳନ୍ତି ଦିଅଁ ଝୁଲଣ ମଣ୍ଡପ ବିଜେ ହେବା ପରେ ପାଲିଆ ଖୁଣ୍ଟିଆ ଲଣ୍ଡାବର୍ତ୍ତ ଠାରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତି ମାନଙ୍କୁ ଡାକିଥାନ୍ତି। ଦଇତାମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ୧ଟେ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚୋଉଦୋଳ ରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ , ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆ ଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ବର୍ଣ୍ଣ ଅଳଙ୍କାର ଯଥା କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳ ରେ ନେଇ ମାର୍କଣ୍ଡ କୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି।

ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟି ରେ ସୁଦୁସୁଆର ବଳଭଦ୍ର ଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହାପରେ ପୂଜାପଣ୍ଡା ସାମନ୍ତ ତାହାଙ୍କୁ ଜୀବନ୍ୟାସ ଦେଇ ବିଧିମୁତାବକ ତାଙ୍କ ଜାତକର୍ମ କରିଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାର ରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଏହାପରେ ଉକ୍ତ ପ୍ରତିମାକୁ ବିସର୍ଜନ କରାଯାଇଥାଏ।

ନୀତି ସମ୍ପନ ପରେ ଶ୍ରୀସୁଦର୍ଶନ ବାକି ୩ଆଶ୍ରମ କୁ ବିଜେ କରିଥାନ୍ତି ଏହାପରେ ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତ। ବାହୁଡା ବିଜେ ପରେ ରତ୍ନସିଂହାସନ ଉପର ଧୁଆ ଯାଇଥାଏ। ତତ୍ପରେ ମହାସ୍ନାନ ନୀତି ବଢିଥାଏ। ଏହାପରେ ପାଳିଆ ପୁଷ୍ପାଳକ ମଇଲମ କରି ସଂଧ୍ୟା ଆଳତି କରିଥାନ୍ତି ।
ପୂଜାପଣ୍ଡା ସେବକ ସନ୍ଧ୍ୟଧୂପ ନୀତି ବଢିବାପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ଓ ପ୍ରସାଦ ଲାଗି ହୋଇଥାଏ।
ଏହାପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ନୀତି ହୋଇଥାଏ।

10/06/2022

ଜୟ ଜଗନ୍ନାଥ 🙏
ଶ୍ରୀଗୁଣ୍ଡିଚା ରଥ ଯାତ୍ରା ସମ୍ବନ୍ଧୀୟ - *ଏକ ଅଜଣା ତଥ୍ୟ*
- - - - - - - - - - - - - - - - - - - - - - - - -

ଜୟ ଜଗନ୍ନାଥ,

ପ୍ରଥମ ପ୍ରଥମ ଦିନ ର ରଥଯାତ୍ରା ସମ୍ବନ୍ଧୀୟ ଏକ ଅଜଣା ତଥ୍ୟ.

ତ୍ରୟୋଦଶ ଶତାବ୍ଦୀରେ, ପୁରୀରେ ରଥ ଯାତ୍ରା *ଦୁଇଟି ପର୍ଯ୍ୟାୟରେ* ପରିଚାଳନା ଏବଂ ବ୍ୟବସ୍ଥା କରାଯାଉଥିଲା

ବୃହତ ଭାର୍ଗବୀ ନଦୀ ର *ମାଳିନୀ* ନାମକ ଏକ ଶାଖା ନଦୀ ବଡ଼ ଦାଣ୍ଡ ମଧ୍ୟ ଭାଗ ରେ ପ୍ରବାହିତ ହେଉଥିଲା ଏବଂ ବଡଦାଣ୍ଡ କୁ ଦୁଇ ଭାଗରେ ବିଭକ୍ତ କରୁଥିଲା

ତେଣୁ ପ୍ରତି ବର୍ଷ ରଥ ଯାତ୍ରା ସମୟ ରେ *ଦୁଇ ଯୁଗଳ ର ତିନି ରଥ* ( ସମୁଦାୟ *ଛ ଟି ରଥ* ନିର୍ମାଣ କରାଯାଉଥିଲା). ଅର୍ଥାତ ଦୁଇଟି ନନ୍ଦିଘୋଷ, ଦୁଇ ଗୋଟି ଦେବଦଳନ ଏବଂ ଦୁଇଟି ତାଳଧ୍ୱଜ ରଥ ନିର୍ମାଣ କରାଯାଉଥିଲା.

ପ୍ରଥମ ଚରଣ ରେ ତିନୋଟି ରଥ ଶ୍ରୀ ମନ୍ଦିର ରୁ ମଲିନୀ ନଦୀ ପର୍ଯ୍ୟନ୍ତ ତିନି ଠାକୁର ଙ୍କୁ ରଥ ଯାତ୍ରା ରେ ନେଉଥିଲେ. ସେଠାରେ ମହାପ୍ରଭୁ ଙ୍କୁ ରଥ ରୁ ଶରଧା ବାଲି ରେ ପହଣ୍ଡି କରାଇ ତିନୋଟି ବିଶାଳ *କାଠ ଡଙ୍ଗା* ଉପରେ ବସା ଯାଉଥିଲା ଏବଂ ଡଙ୍ଗା ଦ୍ୱାରା ମାଲିନୀ ନଦୀ ପାର କରା ଯାଉଥିଲା ଯେଉଁଠାରେ ପୁନର୍ବାର ପହଣ୍ଡି କରାଇ ଡଙ୍ଗା ରୁ ଅପେକ୍ଷାରତ ଅନ୍ୟ ତିନୋଟି *ସମାନ ରଥ* ଉପରକୁ ମହାପ୍ରଭୁ ଙ୍କୁ ନିଆ ଯାଉଥିଲା. ଗୁଣ୍ଡିଚା ମନ୍ଦିର ନିକଟ ରେ ମହାପ୍ରଭୁ ଙ୍କୁ ପୁନର୍ବାର ରଥ ରୁ ଓଲ୍ହାଇ ଗୁଣ୍ଡିଚା ମନ୍ଦିର ମଧ୍ୟ କୁ ପହଣ୍ଡି କରାଯାଉଥିଲା

ଏହାସହ ସମୁଦାୟ *ଚାରି ଥର* ଶ୍ରୀ ମନ୍ଦିର ରୁ ପହଣ୍ଡି ଏବଂ ଚାରି ଥର ଗୁଣ୍ଡିଚା ପହଣ୍ଡି କରିବାକୁ ପଡ଼ୁଥିଲା ଏବଂ ବାହୁଡା଼ ଯାତ୍ରା ଦିନ ଠିକ ସେହି ପରି ଆଠ ଥର ପହଣ୍ଡି କରିବାକୁ ପଡ଼ୁ ଥିଲା. ମହାପ୍ରଭୁ ଙ୍କ ସମୁଦାୟ ଷୋହଳ ଥର ପହଣ୍ଡି କରାଇବା ରେ ଅତ୍ୟଧିକ ଅସୁବିଧା ହେଉଥିଲା

ତତ୍କାଳୀନ ପୁରୀ ରାଜା ଗଜପତି ନରସିଂହ ଦେବଙ୍କ ମହାରାଣୀ *ଶରଧା ଦେବୀ* ଙ୍କୁ ମହା ପ୍ରଭୁ ଜଗନ୍ନାଥ ସ୍ୱପ୍ନ ରେ ରଥ ଯାତ୍ରା ର ସୁପରିଚାଳନା ନିମନ୍ତେ ଏକାଥରେ ରଥ ଯାତ୍ରା କରିବା ପାଇଁ ଉପଦେଶ ଦେଇଥିଲେ।

ଫଳସ୍ୱରୂପ, ମହାରାଣୀ ଶରଧା ଦେବୀ ଙ୍କ ଅନୁରୋଧ କ୍ରମେ ଗଜପତି ନରସିଂହ ଦେବ ମାଲିନୀ ନଦୀର ଉଭୟ ପାର୍ଶ୍ଵ ରେ ବାଲି ପକାଇ ନଦୀ ର ଅଧିକାଂଶ ଭାଗ ପୋତି ସେତୁ ତିଆରି କରି ଥିଲେ ଏବଂ ନଦୀ ର ଖର ସ୍ରୋତ ମଧ୍ୟ ଭାଗ ଉପରେ ବିଶାଳ ପୋଲ ନିର୍ମାଣ କରି ଥିଲେ। ଏହି ବନ୍ଦ ମୁଖକୁ ବର୍ତ୍ତମାନ ର *ବାଙ୍କି ମୂହାଣ* କୁହାଯାଏ ଏବଂ ସେହି ଦିନଠାରୁ ଏହି ସ୍ଥାନଟି *ଶରଧା ବାଲି* ନାମରେ ବିଖ୍ୟାତ ହୋଇଗଲା. କାଳକ୍ରମେ ମାଳିନୀ ନଦୀ ଧୀରେ ଧୀରେ ଶୁଖି ଯାଇଥିଲା.

ବ୍ରିଟିଶ ଶାସନ ସମୟ ରେ ସମଗ୍ର ବଡ଼ଦାଣ୍ଡ ରେ ତିନି ବିଶାଳ ରଥ ର ଓଜନ ସହିବା ଯୋଗ୍ୟ କରିବା ନିମନ୍ତେ ଏବଂ ସବୁଦିନ ପାଇଁ ମଜବୁତ କରି ବା ନିମନ୍ତେ ଶକ୍ତ ପଥର ର ଢ଼ଳେଇ କରା ଯାଇ କୁ ଅତ୍ୟଧିକ ଚଉଡା଼, କଂକ୍ରିଟ ପଲସ୍ତରା କରାଯାଇଥିଲା. ଏହିପରି ଆଜି ର ବଡ଼ଦାଣ୍ଡ ର ପୃଷ୍ଠ ତଳେ ଲୁଚି ରହିଛି ଆମ ଉତ୍କଳ ସଂସ୍କୃତି ର ଏହି ଗୌରବମୟ ରୋମାଂଚକର ଇତିହାସ ।

ତଥ୍ୟ ସଂଗ୍ରହ, ରାମଚନ୍ଦ୍ର ବଡପଣ୍ଡା ମହୋଦୟ ।

ପବିତ୍ର ଚନ୍ଦନ ଯାତ୍ରାର ରଘୁନାଥ ବେଶରେ ପ୍ରଭୁ ମଦନମୋହନ🙏www.travel2puri.com
20/05/2022

ପବିତ୍ର ଚନ୍ଦନ ଯାତ୍ରାର ରଘୁନାଥ ବେଶରେ ପ୍ରଭୁ ମଦନମୋହନ🙏

www.travel2puri.com

ପବିତ୍ର ଚନ୍ଦନ ଯାତ୍ରାର ଏଗାର ତମ ଦିନରେ ରାସମଣ୍ଡଳୀ ରେ ପ୍ରଭୁ ମଦନମୋହନ🙏www.travel2puri.com
14/05/2022

ପବିତ୍ର ଚନ୍ଦନ ଯାତ୍ରାର ଏଗାର ତମ ଦିନରେ ରାସମଣ୍ଡଳୀ ରେ ପ୍ରଭୁ ମଦନମୋହନ🙏

www.travel2puri.com

ପଞ୍ଚ ମହାଦେବ ପବିତ୍ର ଚନ୍ଦନ ଯାତ୍ର ଅବସରରେ ।ବାମ ପଟରୁ - ବାବା ମାକଣ୍ଡେଶ୍ୱରେ, ବାବା ଜମ୍ବେଶ୍ୱରେ, ବାବା ଲୋକନାଥ, ବାବା କପାଳଲୋଚନେ, ବାବା ...
13/05/2022

ପଞ୍ଚ ମହାଦେବ ପବିତ୍ର ଚନ୍ଦନ ଯାତ୍ର ଅବସରରେ ।
ବାମ ପଟରୁ - ବାବା ମାକଣ୍ଡେଶ୍ୱରେ, ବାବା ଜମ୍ବେଶ୍ୱରେ, ବାବା ଲୋକନାଥ, ବାବା କପାଳଲୋଚନେ, ବାବା ନିଳକଣ୍ଟେଶ୍ୱରେ ।🙏
www.travel2puri.com , Travel2puri.com

13/05/2022
ଜୟ ଜଗନ୍ନାଥ 🙏ପବିତ୍ର ଚନ୍ଦନ ଯାତ୍ରା ଅବସରରେ ପ୍ରଭୁଙ୍କର ଅନନ୍ୟ ବେଶରେ ଦର୍ଶନ  । ପ୍ରଥମ ଦିନ ,ନଟବର ।ଦୂତୀୟ ଦିନ , ହରିଜନ୍ମ ।ତୃତୀୟ ଦିନ, ଖ...
06/05/2022

ଜୟ ଜଗନ୍ନାଥ 🙏
ପବିତ୍ର ଚନ୍ଦନ ଯାତ୍ରା ଅବସରରେ ପ୍ରଭୁଙ୍କର ଅନନ୍ୟ ବେଶରେ ଦର୍ଶନ ।
ପ୍ରଥମ ଦିନ ,ନଟବର ।
ଦୂତୀୟ ଦିନ , ହରିଜନ୍ମ ।
ତୃତୀୟ ଦିନ, ଖଟଦୋଳି ।
ଚତୁର୍ଥ ଦିନ, ରାଜ ରାଜେଶ୍ୱର ।
ପଞ୍ଚମ ଦିନ,ବଛା ଚରଣ ।
ଷଷ୍ଟ ଦିନ, ବଛା ହରଣ ।
ସପ୍ତମ ଦିନ, ଗୋମତି କୃଷ୍ଣ
ଅଷ୍ଟମ ଦିନ, ଅର୍ଘା ଅସୁର ବଧ ।
ନବମ ଦିନ, ନବକେଳୀ ।
ଦଶମ ଦିନ, ଚକ୍ରନାରାୟଣ ।
ଏଗାର ଦିନ, ରାସ ମଣ୍ଡଳୀ ।
ବାରତମ ଦିନ, ନୃସିଂହ ।
ତେରତମ ଦିନ, ଚିନ୍ତାମଣି କୃଷ୍ଣ ।
ଚଉଦତମ ଦିନ, କନ୍ଦର୍ପ ରଥ ।
ପନ୍ଦରତମ ଦିନ, ଷଡ଼ଭୁଜ ଗୌରାଙ୍ଗ ।
ଷୋଳତମ ଦିନ, ରଘୁନାଥ ।
ସତରତମ ଦିନ, ଗିରିପୂଜା ।
ଅଠରତମ ଦିନ, ଗିରିଟେକା ।
ଉଣେଇଶିତମ ଦିନ, ବସ୍ତ୍ର ହରଣ।
କୋଡିଏ ତମ ଦିନ, ଗଜ ଉଦ୍ଦାରଣ ।
ଏକୋଇଶି ତମ ଦିନ, କୁଞ୍ଜ ବିହାରୀ ।

Travel2puri.com , www.travel2puri.com

06/05/2022
ଗଜଲକ୍ଷ୍ମୀ ।  ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେରଧଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ ।ହରିହର ବ୍ରହ୍ମ ...
20/10/2021

ଗଜଲକ୍ଷ୍ମୀ ।

ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେ
ରଧଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ ।
ହରିହର ବ୍ରହ୍ମ ସୁପୂଜିତ ସେଵିତ, ତାପ ନିଵାରିଣି ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଗଜଲକ୍ଷ୍ମୀ ରୂପେଣ ପାଲୟ ମାମ୍ ॥

ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ବିଷୟରେ କୁହାଯାଇଛି। ଏଗୁଡ଼ିକ ମଧ୍ୟରୁ ୮ଟି ରୂପ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରଦାନ କରିଥାଆନ୍ତି।

*୧.ବୀର ଲକ୍ଷ୍ମୀ* : ଏହି ଦେବୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ। ତାଙ୍କର ଭକ୍ତଙ୍କ ପ୍ରତି ଖରାପ ଶକ୍ତି ଏବଂ ତନ୍ତ୍ର ମନ୍ତ୍ରର ଖରାପ ପ୍ରଭାବ ପଡ଼ିନଥାଏ।

*୨. ଗଜ ଲକ୍ଷ୍ମୀ* : ଦେବୀ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଜୀବନରେ ମାନ ସମ୍ମାନ ମିଳିଥାଏ। ଚାକିରୀରେ ପଦୋନ୍ନତି କିମ୍ବା ରାଜନୀତିରେ ଉଚ୍ଚ ପଦ ପାଇବା ପାଇଁ ତାଙ୍କୁ ପୂଜା କରିବା ଉଚିତ୍।

*୩. ସନ୍ତାନ ଲକ୍ଷ୍ମୀ* : ମାଆ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ସନ୍ତାନ ସୁଖ ମିଳିଥାଏ। ସନ୍ତାନଙ୍କ ଦୀର୍ଘାୟୁ ଏବଂ ଉନ୍ନତି ପାଇଁ ମଧ୍ୟ ସନ୍ତାନ ଲକ୍ଷ୍ମୀଙ୍କ ପୂଜା କରିବା ଶ୍ରେଷ୍ଠ ହୋଇଥାଏ।

*୪.ଧାନ୍ୟ ଲକ୍ଷ୍ମୀ* : ଯେଉଁ ବ୍ୟକ୍ତିମାନେ ଦେବୀଙ୍କର ଏହି ରୂପକୁ ପୂଜା କରିଥାଆନ୍ତି,ତାଙ୍କ ଘରେ କେବେବି ଅନ୍ନର ଅଭାବ ହୋଇନଥାଏ। ଚାଷ କରୁଥିବା ଲୋକେ ଧାନ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।

*୫. ବିଜୟ ଲକ୍ଷ୍ମୀ* : ଯେକୌଣସି କାମରେ ସଫଳତା ପାଇବା ପାଇଁ ବିଜୟ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। କୋର୍ଟ କେସ୍ ଜିତିବା ପାଇଁ ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଶ୍ରେଷ୍ଠ ଫଳ ଦେଇଥାଏ।

*୬.ଆଦି ଲକ୍ଷ୍ମୀ* : ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ରୋଗରୁ ମୁକ୍ତି ମିଳିଥାଏ। ଦାମ୍ପତ୍ର ଜୀବନକୁ ସୁଖୀ କରିବା ପାଇଁ ଆଦି ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

*୭.ଐଶ୍ବର୍ଯ୍ୟ ଲକ୍ଷ୍ମୀ* : ସମସ୍ତ ପ୍ରକାରର ଭୌତିକ ସୁଖ ସୁବିଧା ପାଇଁ ମାଆ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କରାଯାଇଥାଏ। ଐଶ୍ବର୍ଯ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଆକର୍ଷଣ ଶକ୍ତି ମଧ୍ୟ ବଢ଼ିଥାଏ।

*୮. ଧନ ଲକ୍ଷ୍ମୀ* : ଧନ ସମ୍ପତ୍ତି ଚାହୁଁଥିବା ବ୍ୟକ୍ତିଙ୍କୁ ଧନ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। ତାଙ୍କୁ ପୂଜା କରିବା ଦ୍ବାରା ଘରେ ଶାନ୍ତି ବଜାୟ ରହିଥାଏ ଏବଂ ଧନର ଅଭାବ ଦେଖାଦେଇନଥାଏ।

ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି।
ଏହି ନାମର ଆଉ ଏକ ତାତ୍ପର୍ଯ୍ୟ ମଧ୍ୟ ଅଛି। ତାହା ହେଉଛି- କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଦେବୀ ଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତି ବୋଲି ତାଙ୍କର ନାମ ଗଜଲକ୍ଷ୍ମୀ ହୋଇଛି। ଏ ଦୃଷ୍ଟିରୁ କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ।

ଶ୍ରୀଦେବୀ ବା ଲକ୍ଷ୍ମୀ ଶ୍ରୀ ବା ଐଶ୍ୱର୍ଯ୍ୟର ଦେବୀ। ସେ ସୌନ୍ଦର୍ଯ୍ୟ, ସଂପଦ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ। ପୁରାଣରେ ତାଙ୍କୁ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ତୁଲ୍ୟ ଶୁଭ୍ର ବୋଲି ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଅସାମାନ୍ୟା ରୂପବତୀ ଓ ଚିରଯୁବତୀ।
ସ୍ୱର୍ଗ, ମର୍ତ୍ତ୍ୟ, ଗାଭୀ ଓ ସାଗର ସବୁଠାରେ ଦେବୀ ଲକ୍ଷ୍ମୀ ବିଦ୍ୟମାନା। ତାଙ୍କର ଅନେକ ନାମ। ସ୍ୱର୍ଗରେ ଇନ୍ଦ୍ରଙ୍କର ସଂପତ୍ତି ରୂପେ ସେ ସ୍ୱର୍ଗଲକ୍ଷ୍ମୀ, ଗୃହସ୍ଥଙ୍କ ଗୃହରେ ସେ ଗୃହଲକ୍ଷ୍ମୀ ଏବଂ ରାଜପ୍ରାସାଦରେ ସେ ରାଜଲକ୍ଷ୍ମୀ। ଗୋଧନମାନଙ୍କର ପ୍ରସୂତି ରୂପେ ସେ ସୁରଭି ଏବଂ କ୍ଷୀରସାଗରଙ୍କ କନ୍ୟା ରୂପେ ସେ ପଦ୍ମିନୀ।
ଦେବୀ ଲକ୍ଷ୍ମୀ ‘ଶ୍ରୀ’ରୂପିଣୀ। ସେ ଚନ୍ଦ୍ରମଣ୍ଡଳରେ, ଆଭୂଷଣରେ, ରତ୍ନରେ, ଫଳରେ, ସମସ୍ତ ଶସ୍ୟରେ, ବସ୍ତ୍ରରେ, ଦେବ ପ୍ରତିମାରେ, ମଙ୍ଗଳଘଟରେ, ହୀରକରେ, ଚନ୍ଦନରେ ଓ ନୂତନ ମେଘରେ ଶ୍ରୀ ବା ଶୋଭା ରୂପରେ ଅବସ୍ଥାନ କରନ୍ତି। ଏଣୁ ସେ ହିଁ ସକଳ ‘ଶ୍ରୀ’ ବା ଶୋଭାର ଆଧାର। ତେଣୁ ତାଙ୍କର ଅବର୍ତ୍ତମାନରେ ସବୁ ‘ଶ୍ରୀହୀନ’ ହୋଇଯାଏ। ସେଥିପାଇଁ କେବଳ କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ଭାବରେ ବା ମାର୍ଗଶିର ମାସରେ ଶସ୍ୟ (ଧାନ୍ୟ) ଲକ୍ଷ୍ମୀ ଭାବରେ ନୁହେଁ; ସାରା ବର୍ଷ ସେ ସମସ୍ତଙ୍କ ଘରେ ନିତ୍ୟ ପୂଜିତା ହୋଇଥାଆନ୍ତି।
ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସ‌ହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ । ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ହଉଛଇ।

29/07/2021

🔴ଶ୍ରୀଜଗନ୍ନାଥ ସଂସ୍କୃତିରେ ....
ଶ୍ରୀମନ୍ଦିର ସହ ଜଡ଼ିତ କେତେକ ପ୍ରଚଳିତ ଶବ୍ଦାବଳୀ🙏

🟣 ଶ୍ରୀମନ୍ଦିର ➖

ଏହାର ନାଁ ଯେପରି ଅନନ୍ୟ; ନୀତିକାନ୍ତି ମଧ୍ୟ ଅନ୍ୟ ସମସ୍ତ ମନ୍ଦିରଠାରୁ ଭିନ୍ନ । ଓଡ଼ିଆ ସାହିତ୍ୟରେ ଏଠାରେ ପ୍ରଚଳିତ ଶବ୍ଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।

🟣 ତଡ଼ପ

ତଡ଼ପ ହେଉଛି ଏକ ପ୍ରକାଉ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ସୂତା ଲୁଗା । ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ । ଏହା ଶ୍ରୀ ଜିଉମାନଙ୍କ ସ୍ନାନବେଶ ଲାଗି ଉଦ୍ଦିଷ୍ଟ ।ଠାକୁରମାନଙ୍କ ମୁଖଠାରୁ ତଳକୁ କେବଳ ଗୋଟିଏ ଲେଖାଏଁ ତଡ଼ପ ପରିଧାନ କରାଯାଇଥାଏ । ଅନ୍ୟ ପକ୍ଷରେ ୨ଟି ଉତ୍ତରୀୟ ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ଲାଗି ହୋଇଥାଏ , ଯାହା ଶ୍ରୀ ଜିଉଙ୍କ ଉଦର ପାଖରୁ ଗୋଟିଏ ପଟ ଶ୍ରୀଭୁଜ ଦେଇ ତଳ ପର୍ଯ୍ୟନ୍ତ ଲମ୍ବି ରହିଥାଏ

🟣 ମଇଲମ

ମହାପ୍ରଭୁମାନଙ୍କ ବେଶ ବଦଳାଇବା ପ୍ରଥାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ମଇଲମ ବୋଲି କୁହାଯାଏ । ଠାକୁରମାନଙ୍କ ପୁଷ୍ପ ଅଳଙ୍କାର, ବସ୍ତ୍ର, ମାଳଚୂଳ ପରିବର୍ତ୍ତନ କରାଗଲେ ମଧ୍ୟ ଏହାକୁ ମଇଲମ କୁହାଯାଏ । ପୁଷ୍ପାଳକ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପ୍ରତି ଧୂପ, ବେଶ ଓ ମହାସ୍ନାନ ପରେ ଠାକୁରମାନଙ୍କୁ ମଇଲମ କରାଯାଇଥାଏ ।

🟣 ମଇଲମ ଭୋଗ

ଠାକୁରମାନେ ଅଣସରରେ ଥିବା ବେଳେ ଏହି ଭୋଗ ଲାଗିହୁଏ । ମୁଗ ଓ ନଡ଼ିଆକୁ କୋରାଇ ଏକତ୍ର ପ୍ରସ୍ତୁତ ମଇଲମ ଭୋଗ ହେଉଛି ଏକ ପ୍ରକାର ଚକଟା; ଯାହା କେବଳ ଅଣସର ସମୟରେ ଲାଗି ହୋଇଥାଏ ।

🟣 ଟେରା

ଧୂପ ବା ଭୋଗ ହେଉଥିବା ସମୟରେ ଏକ ପରଦା ପକାଇ ଦିଆଯାଏ; ଯେପରି ଶ୍ରୀ ଜିଉମାନଙ୍କ ଅଧର ଦେଖାଯିବ ନାହିଁ । ଭୋଗ ସମୟରେ ଆଢ଼ୁଆଳ ପାଇଁ ପକାଯାଉଥିବା କନାର ପରଦା ବା ଯବନିକା ହେଉଛି, ଶ୍ରୀମନ୍ଦିର ଭାଷାରେ ଟେରା । ରଥ ଉପରେ ମଧ୍ୟ ପ୍ରସାଦ ଲାଗି ସମୟରେ ଟେରା ପଡ଼ିବାର ବିଧି ଅଛି ।

🟣 ବଇଠା

ଦୀପ ରଖିବା ପାଇଁ କାଠରେ ନିର୍ମିତ ହୋଇଥିବା ଏକ ସାଜ । ଦୁଇଟି ଚଟକା ତଥା ବର୍ଗାକାର ପଟା ମଧ୍ୟରେ ଏକ କାଠ ଦଣ୍ଡ ଯୋଡି ଏହି ସାଜ ପ୍ରସ୍ତୁତ ହୋଇଥାଏ; ଯେପରି ଏହା ଉପରେ ଦୀପ ରଖା ଯାଇପାରିବ ।

🟣 ଗୁଣ୍ଡିଚା

ଗୌଡ଼ୀୟ ବୈଷ୍ଣବମାନେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାର୍ଜନା କରିଥାନ୍ତି । ହାତରେ ଖଡ଼ିକା ନେଇ ଶ୍ରୀଗୁଣ୍ଡିଚା ପୂର୍ବଦିନ ଏହି ମତାବଲମ୍ବୀମାନେ ଗୁଣ୍ଡିଚା ଘର ସଫା କରିଥାନ୍ତି । ଶ୍ରୀ ଚୈତନ୍ୟ ଦେବ ଏହାର ପ୍ରବର୍ତ୍ତକ । ଏବେ ମଧ୍ୟ ବହୁ ସଂଖ୍ୟାରେ ଗୌଡ଼ୀୟ ବୈଷ୍ଣବଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମାର୍ଜନା କରୁଥିବାର ଦେଖିବାକୁ ମିଳେ ।

🟣 ଗରାବଡୁ

ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ ସମୟରେ ନୀତି ପାଇଁ ପୂଜାପଣ୍ଡାଙ୍କୁ ରୂପା ଝରିରେ ଜଳ ଯୋଗାଉଥିବା ସେବକ । ଏମାନେ ଘଷା ଜଳ ପ୍ରସ୍ତୁତ କରନ୍ତି ।

🟣 ହାତୁଆଣି

ଏହାର ପ୍ରକୃତ ଅର୍ଥ ହେଉଛି ହାତ ଧୋଇବା ପାଣି । ଗରାବଡୁ ସେବାକ ମଇଲମ ଓ ଚନ୍ଦନ ଲାଗି ସମୟରେ ପୁଷ୍ପାଳକଙ୍କୁ ହାତ ଧୋଇବାକୁ ପାଣି ଯୋଗାଇଥାନ୍ତି ।
ଏହାକୁ ହାତୁଆଣି ବୋଲି କୁହାଯାଏ ।

🟣 ରୋଷ ହୋମ

ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ରୋଷଘରେ ଏକ ହୋମ ଅନୁଷ୍ଠିତ ହୋଇଥାଏ । ଚୂଲାରେ ଅଗ୍ନି ସଂଯୋଗ ପାଇଁ ସମ୍ଭବତଃ ଏହି ଅନୁଷ୍ଠିତ ହେଉଥିବାରୁ ଏହାକୁ ରୋଷ ହୋମ ବୋଲି କୁହାଯାଇଥାଏ ।

🟣 ଓଲାର

ଏହା ଏକ ପ୍ରକାରର ଛତ୍ର । ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସମୟରେ ଧଳା ରଙ୍ଗର ଓ ବଳଭଦ୍ରଙ୍କ ସାମ୍ନାରେ କଳା ରଙ୍ଗର ଛତ୍ର ଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ସମ୍ମୁଖରେ ଯୌଥିବା ଛତ୍ରୀକୁ ଓଲାର ବୋଲି କୁହାଯାଇଥାଏ ।
ଏହା ହଳଦିଆ ଓ ନାଲି ରଙ୍ଗର କନାରେ ପ୍ରସ୍ତୁତ ହୋଇଥାଏ ।

🟣 ବଜନ୍ତରି ବା ବୈଜୟନ୍ତୀ

ବିଭିନ୍ନ ପୂଜାପର୍ବାଣି ସମୟରେ ଅଥବା ଶ୍ରୀ ଜିଉମାନଙ୍କ ବାହାର ବିଜେ ବେଳେ ବାଜା ବଜୌଥିବା ଏକ ସେବକ ସମ୍ପ୍ରଦାୟ । ଏହି ସେବକ ରଥକୁ ଠାକୁରଙ୍କ ସମ୍ମୁଖରେ ଅନ୍ୟ ଏକ ଡଙ୍ଗା ବା ଚିପରେ ବସି ବାଜା ବଜାନ୍ତି । ଆଜ୍ଞାମାଳ ବିଜେ ସମୟରେ ମଧ୍ୟ ସେମାନେ ବାଜା ବଜାଇ ସର୍ବାଗ୍ରେ ଯାଇଥାନ୍ତି ।

🟣 ମଣୋହି

ଠାକୁରଙ୍କୁ ପ୍ରସାଦ ସମର୍ପଣ ବିଧିକୁ ମଣୋହି ବୋଲି କୁହାଯାଏ । ରାଜାଙ୍କ ଭୋଜନ ସମର୍ପଣ କ୍ଷେତ୍ରରେ ମଧ୍ୟ ଏହି ଶବ୍ଦ ବ୍ୟବହାର କରାଯାଏ । ତେବେ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ସମଗ୍ର ଉତ୍କଳର ରାଜା ବୋଲି ବିବେଚିତ ହୋଇଥିବାରୁ ତାଙ୍କ ନିକଟରେ ପ୍ରସାଦ ସମର୍ପଣ ବିଧିକୁ ମଣୋହି କୁହାଯାଇଥାଏ । ଶ୍ରୀମନ୍ଦିରରେ ମଣୋହିର ପ୍ରକାର ଭେଦ ରହିଛି ।

🟣 ଅମୃତ ମଣୋହି

ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ । ଅନ୍ୟପକ୍ଷରେ ରାଜା, ଜମିଦାର, ମଠ, ମଠାଧୀଶଙ୍କ ମାର୍ଫତ୍ ରେ ଥିବା ମହାପ୍ରଭୁଋ ଭୂସମ୍ପତ୍ତି; ଯାହା ଠାକୁରଙ୍କ ନୀତିକାନ୍ତି ତଥା ଅତିଥି, ଭକ୍ତ, ଶ୍ରଦ୍ଧାଳୁଙ୍କ ସେବାରେ ବିନିଯୋଗ ହେବା ଲାଗି ଉଦ୍ଦିଷ୍ଟ ।

🟣 ବୀର ମଣୋହି

ଉତ୍କଳୀୟ ରାଜାମାନେ କୌଣସି ରାଜ୍ୟ ଜୟ କରିବା ପରେ ମହାପ୍ରଭୁଙ୍କୁ ସମର୍ପଣ କରି ଅଞ୍ଚଳବାସୀଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରିଥାଆନ୍ତି । ବୀରତ୍ୱର ସହ ରାଜ୍ୟ ଜୟ କରି ମହାପ୍ରଭୁଙ୍କୁ ସମର୍ପଣ ହୋଇଥିବାରୁ, ଏହି ଉପଲକ୍ଷେ ବୀର ମଣୋହି ଶ୍ରୀଜିଉଙ୍କୁ ସମର୍ପିତ ହୁଏ ।

🟣 ସର୍ପା ମଣୋହି

ସମର୍ପିତ ମଣୋହି ବା ନୈବେଦ୍ୟ ଅପଭ୍ରଂଶ ହୋଇ ସର୍ପା ମଣୋହି ହୋଇଛି । ଜଗମୋହନରେ ଗୋପାଳ ବଲ୍ଲଭଠାରୁ ପହଡ଼ ପର୍ଯ୍ୟନ୍ତ, ରଥ ଉପରେ, ଗୁଣ୍ଡିଚା ମନ୍ଦିରରେ ଠାକୁର ଥିବା ବେଳେ ନୈବେଦ୍ୟକୁ ସର୍ପା ମଣୋହି କୁହାଯାଏ ।

🟣 ଚକ୍ର ମଣୋହି

ଉତ୍କଳୀୟମାନେ ନୀଳଚକ୍ରକୁ ଜଗନ୍ନାଥଙ୍କ ତୁଲ୍ୟ ସମ୍ମାନ ଦିଅନ୍ତି । ତେଣୁ ଏହାକୁ ମଧ୍ୟ ପ୍ରସାଦ ସମର୍ପଣ କରାଯାଏ, ଯାହାକୁ ଚକ୍ର ମଣୋହି କୁହାଯାଏ । ନୀଳଚକ୍ର ଦିଶୁଥିବା ସ୍ଥାନ ପର୍ଯ୍ୟନ୍ତ ମଣୋହି ବା ପ୍ରସାଦ ସମର୍ପଣ ହେବାର ବିଧି ଅଛି ।

🟣 ଘଟୁଆରି

ଶ୍ରୀ ମହାପ୍ରଭୁଙ୍କ ସେବାରେ ଚନ୍ଦନ ଲାଗି ଏକ ପ୍ରମୁଖ କାର୍ଯ୍ୟ । ଚନ୍ଦନ ଘୋରି ଯୋଗାଉଥିବା ସେବାୟତଙ୍କୁ ଘଟୁଆରି କୁହାଯାଏ । ଶ୍ରୀମନ୍ଦିର ବେହେରଣ ସମ୍ମୁଖରେ ତଥା ମୁକ୍ତି ମଣ୍ଡପ ପଛପଟେ ରହିଥିବା ଚନ୍ଦନ ଘରେ ସେମାନେ ଚନ୍ଦନ ଘୋରି ସେବାକୁ ଯୋଗାନ୍ତି ।ଏହି ସେବକ ପ୍ରତି ଏକାଦଶୀ ତିଥିରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ପ୍ରସ୍ତୁତ କରିଦେଇଥାଆନ୍ତି ।

🟣 କରପଲ୍ଲବ

ଏହା ଦିନକର ଶେଷ ନୀତି ବଡସିଂହାର ବେଶରେ ଲାଗି ହେଉଥିବା ଏକ ପୁଷ୍ପ ଅଳଙ୍କାର । ଏହି ପୁଷ୍ପାଳଙ୍କାରରେ ଠାକୁରମାନଙ୍କ ପାଞ୍ଚୋଟି ଆଙ୍ଗୁଠି ପରିକଳ୍ପନା କରାଯାଇଥାଏ । ଜଗନ୍ନାଥ ଓ ବଳଭଦ୍ର ଦୁଇ ମୂର୍ତ୍ତିଙ୍କୁ ୨ଟି ଲେଖାଏଁ କରି ୪ଟି କରପଲ୍ଲବ ଲାଗି କରାଯାଇଥାଏ ।

🟣 ହୃଦପଦକ

ବଡ଼ସିଂହାର ବେଶରେ ଠାକୁରମାନଙ୍କ ହୃଦରେ ଲାଗୁଥିବା ଏକ ଗୋଲାକୃତି ପୁଷ୍ପ ଅଳଙ୍କାର । ଏହାର ପ୍ରସ୍ତୁତି ପାଇଁ ପଣସ ପତ୍ର, ଖଡ଼ିକା, ସୁଗନ୍ଧିତ ଫୁଲ ଓ କଦଳୀ ପାଟୁକା ବ୍ୟବହାର କରାଯାଇଥାଏ ।

🟣 ସେନାପଟା, ବାହୁଟକଣ୍ଟ

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ବିଜେ ପାଇଁ ଏହି କାଠ ନିର୍ମିତ ସ୍ୱତନ୍ତ୍ର ସାଜ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ସେନାପଟା ବିଗ୍ରହମାନଙ୍କ ପଛପଟେ ଲାଗି ହେଉଥିବା ବେଳେ ବାହୁତକଣ୍ଟ ଶ୍ରୀହସ୍ତରେ ଲାଗି ହୋଇଥାଏ । ଏହା ବଉଳ କାଠରେ ପ୍ରସ୍ତୁତ ହୋଇଥାଏ । ସେହ୍ନା ଶବ୍ଦରୁ ସେନାପଟା ଶବ୍ଦ ଆସିଅଛି । ସେହ୍ନା ଶବ୍ଦର ଅର୍ଥ ଯୁଦ୍ଧକୁ ଯାଉଥିବା ବୀର ଦେହର ଢାଲ । ସେନାପଟା ଠାକୁରମାନଙ୍କ ପହଣ୍ଡି ସମୟର ଢାଲ ବୋଲି ବିବେଚନା କରାଯାଏ ।

🟣 ଚାରମାଳ

ଶ୍ରୀ ବିଗ୍ରହମାନେ ରତ୍ନସିଂହାସନକୁ ଚଢ଼ିବା, ଓହ୍ଲାଇବା ସହ ରଥକୁ ବିଜେ ପାଇଁ ଲାଗୁଥିବା ଶିଡ଼ିକୁ ଚାରମାଳ କୁହାଯାଏ । ତାଳ ଗଣ୍ଡିଗୁଡ଼ିକୁ ମଝିରୁ ଫାଳ କରି ଏକତ୍ର ବାନ୍ଧି ଏହି ଶିଡ଼ି ପ୍ରସ୍ତୁତ ହୋଇଥାଏ ।

🟣 ସାହାଣମେଲା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ବ୍ୟବସ୍ଥା ମଧ୍ୟରୁ ଏହା ଅନ୍ୟତମ । ପୋଖରିଆ ବା ଗର୍ଭଗୃହ ମଧ୍ୟକୁ ସବୁ ସମୟରେ ଶ୍ରଦ୍ଧାଳୁଙ୍କୁ ଛାଡ଼ିବା ସମ୍ଭବ ନୁହେଁ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବାର ବିଧିକୁ ସାହାଣମେଲା କୁହାଯାଏ । ଏହି ସମୟରେ ଭିତର କାଠ ପାର୍ଶ୍ୱ ଦେଇ ଶ୍ରଦ୍ଧାଳୁମାନେ ଦଳ ଦଳ କରି ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଓ ରତ୍ନସିଂହାସନ ପରିକ୍ରମା କରିଥାନ୍ତି । ବର୍ଷ ତମାମ ପୂର୍ବାହ୍ନରେ ସାହାଣମେଲା ଅନୁଷ୍ଠିତ ହେଥିବା ବେଳେ କାର୍ତ୍ତିକ ମାସରେ ଏହା ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥାଏ ।

🟣 ପରିମାଣିକ

ଠାକୁର ଦର୍ଶନ ନିମନ୍ତେ ଯାତ୍ରୀମାନେ ପ୍ରଣାମି ପଇଠ କରି ଯିବା ବ୍ୟବସ୍ଥାକୁ ପରିମାଣିକ କୁହାଯାଏ । ସାହାଣମେଲା ଦର୍ଶନ ଭଳି ଏହା ଏକ ଦର୍ଶନ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଏବେ ଶ୍ରୀମନ୍ଦିର ପ୍ରଶାସନକୁ ଅର୍ଥ ପଇଠ ହେଉଛି । ଦୂରଦୂରାନ୍ତରୁ ଅସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ସମ୍ଭବତଃ ଏହି ବ୍ୟବସ୍ଥା ହୋଇଛି ।

🟣 ଦକ୍ଷିଣ ଘର

ଶ୍ରୀମନ୍ଦିର ବେହେରଣ ପାର୍ଶ୍ୱରେ ଥିବା ମନ୍ଦିରକୁ ଦକ୍ଷିଣ ଘର କୁହାଯାଏ । ଏହି ମନ୍ଦିରରେ ମହାପ୍ରଭୁମାନଙ୍କ ଚଳନ୍ତି ପ୍ରତିମାମାନେ ବିଜେ କରିଥାଆନ୍ତି । ବିଭିନ୍ନ ଯାନିଯାତ୍ରା ବେଳେ ମହାପ୍ରଭୁଙ୍କୁ ଏହି ବିଗ୍ରହମାନେ ପ୍ରତିନିଧିତ୍ୱ କରିଥାଅନ୍ତି । ଏହି ମନ୍ଦିରର ଉପାସ୍ୟ ଠାକୁର ହେଉଛନ୍ତି ମଦନମୋହନ । ତାଙ୍କ ବ୍ୟତୀତ ଦୋଳଗୋବିନ୍ଦ, ଅମାବାସ୍ୟା ନାରାୟଣ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ବାଡି ନୃସିଂହ ଆଦି ଠାକୁର ଏଠାରେ ପୂଜିତ ହୁଅନ୍ତି ।

🟣 ନିଉଛାଳି

ଦଣ୍ଡ ପ୍ରଣାମ ବିଧିକୁ ଶ୍ରୀମନ୍ଦିର ପରିଭାଷାରେ ନିଉଛାଳି କୁହାଯାଏ । ରଥଯାତ୍ରା ପୂର୍ବଦିନ ନେତ୍ରୋତ୍ସୋବ ନୀତି ବଢ଼ିବା ପରେ ୩ ବାଡ଼ରେ ପଣ୍ଡା, ପତି, ମୁଦିରସ୍ତ ବନ୍ଦାପନା କରନ୍ତି । ଏହା ସରିବା ପରେ ମୁଦିରସ୍ତ ୩ ବାଡ଼ରେ ୩ଟି ବସ୍ତ୍ର ଦେଇ ଦଣ୍ଡ ପ୍ରଣାମ କରିଥାନ୍ତି । ଏହାକୁ ନିଉଛାଳି କୁହାଯାଏ ।

🟣 ବିଣ୍ଡୁଆ

ଏହା ଏକ ସେବକ ସମ୍ପ୍ରଦାୟର ନାମ । ରୋଷଶାଳାରେ ମହାପ୍ରଭୁଙ୍କ ପ୍ରସାଦ ରନ୍ଧନ ସମୟରେ ଏମାନେ ସେବା ସମର୍ପଣ କରନ୍ତି । ଭିନ୍ନ ଭିନ୍ନ ସମୟରେ ପିଠା ତିଆରି ଲାଗି ବିଣ୍ଡ ବା ବିଣ୍ଡା (ମସଲା) ପ୍ରସ୍ତୁତ କରି ଅଟା, ବିରି, ଚାଉଳ ଚୂନା ଆବଶ୍ୟକ ପରିମାଣରେ ମିଶ୍ରଣ କରିଥାନ୍ତି; ଯାହାକୁ ସୁଆର ସେବକଙ୍କୁ ଦିଆଯିବା ପରେ ପିଠା ପ୍ରସ୍ତୁତ ହୋଇ ମଣୋହି ହୁଏ ।

🟣 କରାଳ ଚନ୍ଦନ

ଝୁଣା, ରାଶି ତେଲରେ ପାଣି ଦେଇ ପ୍ରସ୍ତୁତ ଏକ ଅଠାକୁ କରାଳ କୁହାଯାଏ । ଏହା ସହିତ ଚନ୍ଦନ, କସ୍ତୁରୀ, ଚୁଆ, କର୍ପୁର ଆଦି ମିଶ୍ରଣ କରିଯାଇ ମହାପ୍ରଭୁମାନଙ୍କ ଶ୍ରୀଅଙ୍ଗରେ ପ୍ରଲେପ ଦିଆଯାଏ । ଏହି ପ୍ରଲେପ ଶ୍ରୀଅଙ୍ଗରୁ ଖସିପଡ଼ିବା ପରେ ଏହାର କ୍ଷୁଦ୍ର କଣିକା ପାଇ ଭକ୍ତ ଆପ୍ୟାୟିତ ହୁଅନ୍ତି । ଏହି କରାଳ ଚନ୍ଦନ ଭକ୍ତମାନଙ୍କ ଦୃଷ୍ଟିରେ ମହାପ୍ରସାଦ ତୁଲ୍ୟ ।

🟣 ଶୟନ ଠାକୁର

ଶ୍ରୀ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ଅର୍ଦ୍ଧନାରୀଶ୍ୱର ସ୍ୱରୁପ ବା ଏକ ବିଗ୍ରହ ହେଉଛନ୍ତି ଏହି ଶୟନ ଠାକୁର । ଦିନର ସର୍ବଶେଷ ନୀତି ବଡ଼ସିଂହାର ଦେଶ, ଧୂପ ପରେ ଏହି ମୁର୍ତ୍ତି ଜୟ ବିଜୟ ଦ୍ୱାର ନିକଟରେ ଏକ ସୁସଜ୍ଜିତ ଡମ୍ବରୁ ଉପରେ ବିଜେ କରନ୍ତି । ପ୍ରତିଦିନ ରାତିରେ ଏହି ବିଗ୍ରହଙ୍କୁ ନେଇ ଶୟନ ନୀତି ଅନୁଷ୍ଠିତ ହୁଏ ଓ ପ୍ରଭୁଙ୍କ ରତ୍ନ ପଲଙ୍କ ଭିତରକୁ ବିଜେ କରିବା ପରେ ଠାକୁରମାନେ ପହୁଡ଼ିଥାଆନ୍ତି । ଏହି ପ୍ରତିମା ସାମ୍ବତ୍ସରିକ ଶୟନ ନୀତି ବା ହରିଶୟନ, ପାର୍ଶ୍ୱପରିବର୍ତ୍ତନ, ଓ ହରି ଉତ୍‌ଥାପନ ଏକାଦଶୀ ପଡ଼ୁଥିବାରୁ ରଥ ଉପରେ ଏହି ଶାମ୍ବତ୍ସରିକ ଶୟନ ନୀତି ସମ୍ପନ୍ନ ହୁଏ ।

🟣 ଓଷୁଅ ବା ଓସ୍ୱୀ

ଠାକୁରମାନେ ଶ୍ରୀମୁଖରେ ରାହୁରେଖା ଓ ଚିତା ଲାଗି ହୋଇଥାନ୍ତି । ଏହାକୁ ଶ୍ରୀଅଙ୍ଗରେ ଲାଗିକରିବା ଲାଗି ଝୁଣା, ରାଶି ତେଲ, ପାଣି, ଚନ୍ଦନ ଆଦି ମିଶାଯାଇ ପ୍ରସ୍ତୁତ ଏକ ଅଠାକୁ ଓଷୁଅ ବୋଲି କୁହାଯାଏ । ଯାହାକୁ ସୁଦ୍ଧ ସୁଆରମାନେ ପ୍ରସ୍ତୁତ କରିଥାଆନ୍ତି । ଏହି ଅଠାରେ ଉପରୋକ୍ତ ଦୁଇ ଅଳଙ୍କାର ଲାଗି ହୁଏ । ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରମାନେ ସ୍ନାନ କରି ଅଣସରକୁ ଯିବା ପରେ ଏହା କାଢି ନିଆଯାଏ । ପରବର୍ତ୍ତୀ ସମୟରେ ଚିତାଲାଗି ଅମାବାସ୍ୟା ଓ ରେଖା ପଞ୍ଚମୀରେ ଓଷୁଅ ପ୍ରସ୍ତୁତ ହୋଇ ପୁନର୍ବାର ଦାରୁଦିଅଁ ଏହି ଅଳଙ୍କାର ଲାଗି ହୋଇଥାନ୍ତି, ଯାହା ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବର୍ଷ ତମାମ୍ ଶ୍ରୀଅଙ୍ଗରେ ଲାଗି ରହିଥାଏ ।

🟣 ଯାତ୍ରାଙ୍ଗା ମହାସ୍ନାନ

ଯାତ୍ରା ସମୟରେ କରାଯାଉଥିବା ଅଙ୍ଗସ୍ନାନ । ଠାକୁରମାନେ ଯାତ୍ରା ସମଯରେ ବାହାରକୁ ବିଜେ କରନ୍ତି । ଭକ୍ତ ଓ ଶ୍ରଦ୍ଧାଳୁମାନେ ତାଙ୍କୁ ସ୍ପର୍ଶ କରିଥାଇ ପାରନ୍ତି । ଏଣୁ ଅଶୌଚ ସ୍ପର୍ଶ ନିବାରଣ ପାଇଁ କରାଯାଉଥିବା ସ୍ନାନ ବିଧିକୁ ଯାତ୍ରାଙ୍ଗା ମହାସ୍ନାନ ବୋଲି କୁହାଯାଏ ।

🟣 ରାଜନୀତି

ରାଜା ବା ଗଜପତି ମହାପ୍ରଭୁଙ୍କ ପାଖରେ ସେବା ସମର୍ପଣ କରିବା ବିଧିକୁ ରାଜନୀତି କୁହାଯାଏ । ରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ଏହି ସେବା କରନ୍ତି । ସୁନା ଆରତି ଦାନିରେ ମହାପ୍ରଭୁଙ୍କୁ ଆଳତି କରାଯାଏ । ସୁବର୍ଣ୍ଣ ବେଣ୍ଟ ଥିବା ଚାମର ଓ ଆଲଟ ଲାଗି ହୁଏ । ଉପରୋକ୍ତ ସେବା ସମର୍ପଣ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ ।

🟣 ଫୁଲୁରି

ଏହା ଏକପ୍ରକାର ସୁବାସିତ ତୈଳ । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ପାଇଁ ଅଣସର ପଞ୍ଚମୀରେ ଆସିଥାଏ । ରାଶି ତେଲ, ଚୁଆ, ଚନ୍ଦନ, କର୍ପୂର ଓ କେତେ ନିର୍ଦ୍ଦିଷ୍ଟ ସୁବାସିତ ଫୁଲ ମିଶ୍ରଣ କରି ଦୀର୍ଘଦିନ ପର୍ଯ୍ୟନ୍ତ ମାଟିରେ ପୋତି ରଖାଯାଇଥାଏ । ସ୍ନାନ ପୂର୍ଣ୍ଣିମାରେ ଠାକୁରମାନେ ଅଣସରକୁ ଯିବା ପରେ ଏହା ଶ୍ରୀଅଙ୍ଗ ଲାଗି ହୁଏ ।

🟣 ଚାହାଣି ମଣ୍ଡପ

ଶ୍ରୀମନ୍ଦିରରେ ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ମେଘନାଦ ପାଚେରି ଉପରୁ ଦିଶୁଥିବା କ୍ଷୁଦ୍ର ମନ୍ଦିର ।ଏହି ମଣ୍ଡପ ଉପରେ ରଥଯାତ୍ରା ଅନ୍ତିମ ପର୍ବରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୁଏ । ଚାହାଣି ଅର୍ଥାତ୍ ଦୃଷ୍ଟି ପକାଇବା । ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଏହି ମଣ୍ଡପରେ ବସି ଚାହିଁଥାଆନ୍ତି । ବନ୍ଦାପନା ହୋଇଥାଏ । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଦାମ୍ପତ୍ୟ ଭାବର ଏହା ଅନନ୍ୟ ନିଦର୍ଶନ ।

🟣 ମାଣ୍ଡୁଅ

ଏହା ଛେନା ତିଆରି ଏକ ପ୍ରସାଦ । ଛେନାରେ ଅଟା, ଚିନି, ଗୁଜୁରାତି, ଅଳେଇଚ ଆଦି ସୁଗନ୍ଧି ଦ୍ରବ୍ୟ ମିଶାଇ ଘିଅରେ ଛାଣି ପ୍ରସ୍ତୁତ ହୋଇଥିବା ପିଠା, ଯାହା ମହାପ୍ରଭୁଙ୍କ ଅତି ପ୍ରିୟ । ଚନ୍ଦନଯାତ୍ରା ସମୟରେ ଚାପ ଖେଳିସାରିବା ପରେ ନରେନ୍ଦ୍ର ପୁଷ୍କରିଣୀର ଜଗତି ଉପରେ ଏହା ପ୍ରସ୍ତୁତ ହୋଇ ଠାକୁରଙ୍କୁ ଲାଗି ହୋଇଥାଏ । ଶ୍ରୀମନ୍ଦିରରେ ଛପନ ଭୋଗ ମଧ୍ୟରେ ଏହା ଅନ୍ୟତମ ।

🟣 ବଡ଼ମହାସ୍ନାନ, ମହାସ୍ନାନ ବା ମାଘସ୍ନାନ*l

ଦାରୁଦିଅଁ ଶ୍ରୀମନ୍ଦିରରେ ବସିଥିବା ବେଳେ ସେବକ ଭିନ୍ନ କୌଣସି ଯାତ୍ରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ କଲେ କରାଯାଉଥିବା ସ୍ନାନବିଧି । ଏହି ସ୍ନାନକୁ ଅପଭ୍ରଂଶ କରି ସ୍ଥାନୀୟ ଲୋକେ ମାଘ ସ୍ନାନ ବୋଲି କୁହନ୍ତି । ଏହି ନୀତି ବେଲେ ଶ୍ରୀମନ୍ଦିର ଧୂଆ ଯାଏ ନାହିଁ । କେବଳ ମନ୍ତ୍ରପାଠ ପୂର୍ବକ ପଞ୍ଚାମୃତରେ ମହାସ୍ନାନ କରାଯାଏ । କୌଣସି କାରଣରୁ ମନ୍ଦିରରେ ଛେପ, ରକ୍ତ,ମୃତଦେହ ବା ମଳମୁତ୍ର ପତିତ ହେଲେ ଶ୍ରୀମନ୍ଦିର ଧୂଆଯାଇ ଠାକୁରଙ୍କୁ ମହାସ୍ନାନ କରାଗଲେ ତାହାକୁ ବଡ ମହାସ୍ନାନ କୁହାଯାଏ ।

🟣 ଶଙ୍ଖଭୂଇଁ

ମହାପ୍ରଭୁଙ୍କ ପବିତ୍ର ନେତ୍ର ଯୁଗଳର ଧଳା ରଙ୍ଗର ଅଂଶକୁ ଶଙ୍ଖଭୂଇଁ କୁହାଯାଏ । ଶୁଦ୍ଧ ଶଙ୍ଖ ଚୂର୍ଣ୍ଣରେ ଏହି ଅଂଶକୁ ରଙ୍ଗାୟିତ କରାଯାଇଥାଏ ।

🟣 ହେରା

ଦେଖା ହେବା ବା ଦର୍ଶନ କରିବା ବିଧିକୁ ଶ୍ରୀମନ୍ଦିର ଭାଷାରେ ହେରା କୁହାଯାଏ । ଗୁଣ୍ଡିଚା ଯାତ୍ରା ସମୟରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାରୁ ଏହି ଦିବସକୁ ହେରାପଞ୍ଚମୀ ବୋଲି ନାମିତ କରାଯାଇଛି । ମହାଲକ୍ଷ୍ମୀ ଏହି ଦର୍ଶନ ଲାଗି ଯାଇ ଯେଉଁ ପଥରେ ଫେରନ୍ତି, ତାହାର ନାମ ହେରା ଗୋହିରୀ ସାହି ।

ଜୟ ଜଗନ୍ନାଥ 🙏

Address

Travel2puri. Com, Ramachandi Sahi, Near-lakshmi Talkies Hall, Besides-shanti Apartment
Puri
752001

Alerts

Be the first to know and let us send you an email when travel2Puri.com posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to travel2Puri.com:

Videos

Share

Our Story

www.travel2puri.com ,plz visit & share this web site.... get a large information on puri lord jagannath dham. For like this link on Facebook ,plz log on to ..https://www.facebook.com/travel2puri/

FOR A HAPPY VISIT & WORSHIPING @ PURI JAGANNATH DHAM , PLZ CONTACT TO - www.travel2puri.com / 09438666008.


Other Tourist Information Centers in Puri

Show All

You may also like