12/08/2023
କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ଗ୍ରାମ ଏକ ପୁରାତନ ଐତିହ ସମ୍ପନ୍ନ ଗ୍ରାମ l ବିଲୁପ୍ତ କାଣୀ ନଦୀ ଓ ପବିତ୍ର ଗୁପ୍ତ ଗଙ୍ଗା ବା ଚିତ୍ରୋପ୍ତଳା ନଦୀର ଉପକଣ୍ଠରେ ଗଢି ଉଠିଛି ଏହି ଗ୍ରାମ, ଉକ୍ତ ଗ୍ରାମ ସହିତ ଜଡିତ ହୋଇ ରହିଛି ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ଓ ରାଜ ରାଜୁଡାଙ୍କ ଶାସନର କୀର୍ତ୍ତିରାଜି l
ଲୋକକଥା ଓ କିମ୍ବଦନ୍ତୀରୁ ଯାହା ଜଣାଯାଏ ଗରଦା ନାମକ ଏକ ରାକ୍ଷସୀ କୁ ରାଜା ସୁଜାତ ଦେବ ମାରିଥିବାରୁ ଏହି ଗ୍ରାମର ନାମ ଗାରଡ଼ପୁର ଥିଲା ଓ ପରବର୍ତୀ ସମୟରେ ଗରଦପୁର ହୋଇଛି l ଓଡିଶାରେ ଯେତେବେଳେ ମୋଗଲ ଶାସନ ଚାଲିଥିଲା ପୁରୀ ରେ ଭୋଇ ରାଜବଂଶର ରାଜା ରାମଚନ୍ଦ୍ର ଦେବ ରାଜୁତି କରୁଥିଲେ ସେ ଦିଗାମ୍ବର ଦେବଙ୍କୁ 1730 ମସିହା ରେ ଗରଦପୁର ଅଂଚଳର ଶାସନକର୍ତ୍ତା ଭାବରେ ଅଭିଷିକ୍ତ କରାଇଥିଲେ l ରାଜାଙ୍କର ୨ ରାଣୀ ଭବାନୀ ଓ ବିରଞ୍ଚି ଥିଲେ l ଯାହାର ପ୍ରମାଣ ସ୍ୱରୂପ ରାଜା ଦିଗାମ୍ବରଙ୍କ ନାମରେ ଏକ ବାର ଏକର ବାର ଗୁଣ୍ଠ ବାର ବିସୁଆ ଯାହାକୁ ସ୍ଥାନୀୟ ଲୋକ କୁହନ୍ତି ତେର(13) ଏକର ଜଳ ଏରିଆର ବିଶିଷ୍ଟ ଡିଗୀ ପୋଖରୀ ଏବେ ମଧ୍ୟ ଅଛି, ପୋଖରୀର ପାର୍ଶ୍ଵ ଅଂଚଳ ପାଖା ପାଖି 30 ଏକର ହେବ , ଯାହା ସମଗ୍ର ଓଡ଼ିଶା ରେ ବିରଳ l ୨ ରାଣୀଙ୍କ ନାମରେ ୨ଟି ବୃହତ ପୋଖରୀ ରହିଛି,ଭବାନୀଙ୍କ ନାମରେ ଭୋବା ପୋଖରୀ ଓ ବିରଞ୍ଚିଙ୍କ ନାମରେ ବୀଇଞ୍ଚି ପୋଖରୀ ଅଛି l ଏଥି ସହିତ ମାଦଳାପାଞ୍ଜିର ବର୍ଣନା ଅନୁସାରେ ଗଜପତି କପିଳେନ୍ଦଦେବ ପ୍ରାୟ 1456 ଖ୍ରୀଷ୍ଟାବ୍ଦ ବେଳକୁ ଗାରଡ଼ପୁରରେ ସମ୍ଭବତ ବର୍ତମାନର ଗରଦପୁରଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରିଥିଲେ,ମାତ୍ର କୌଣସି କାରଣ ବଶତଃ ମନ୍ଦିର ତୋଳାଇ ପାରି ନ ଥିଲେ ଗରଦପୁର ର ରାଜା ଦିଗାମ୍ବର ଦେବ ତାଙ୍କ ଶାସନ ସମୟରେ ଗରଦପୁର ଠାରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସ୍ଥାପନl
କରିବା ସହ ସେହିଦିନଠାରୁ ଗରଦପୁରରେ ଚତୁର୍ଦ୍ଧାମୂର୍ତ୍ତୀ ମନ୍ଦିର ରେ ପୂଜା ପାଇ ଆସୁଛନ୍ତି l ରାଜା ଦିଗାମ୍ବର ଦେବ ପୁରୀର ବୀରଭଦ୍ରପୁର ଓ ବାଣପୁର ବ୍ରାହ୍ମଣମାନଂକୁ ଆଣି ପୂଜକ ନିଯୁକ୍ତି କରିଥିଲେ ଓ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିବା ସହ ମନ୍ଦିରର ସେବା ପାଇଁ ଛତିଶ ପାଟକ ଖଞ୍ଜିଥିଲେ l ଗରଦପୁର ଠାରେ ଥିବା ଉଆସଢିଅ, ଘୋଡ଼ାଶାଳ, ବ୍ରଜ୍ରବାଣ, ସେନାପତିସାହି, ହାଡ଼ିପଡିଆ ଓ ପଟ୍ଟନାୟକ ସାହି ଏବେ ବି ଉତ୍ଜୀବିତ l ଏହି ଅଂଚଳ ସେତେବେଳର ବାଲୁବିଶ ପ୍ରଗଣାର ଅନ୍ତର୍ଭୂକ୍ତ ଥିଲା ଶଶୀ ମୋହନ ସେନଗୁପ୍ତାଙ୍କ ଜମିଦାରୀ ରେ ଗରଦପୁର ଅଂଚଳ ରହିଥିଲା ଓ ପରବର୍ତୀ ପର୍ଯ୍ୟାୟରେ ନିଧି ସେନାପତି ଓ ଗୌରାଙ୍ଗ ସେନାପତି ଅଂଚଳର ଜମିଦାର ଥିଲେ l
ସମୟ ଚକ୍ରରେ ଶ୍ରୀ ବଳଦେବଜୀଉ ମନ୍ଦିରର ମାଲିକାନାସତ୍ୱ କେନ୍ଦ୍ରାପଡ଼ାର ରାଧେଶ୍ୟାମ ନରେନ୍ଦ୍ରଙ୍କ ହାତକୁ ଯାଇଥିଲା ଓ ସେ ଏହି ମନ୍ଦିରର ପ୍ରତେକ୍ଷ୍ୟ ତତ୍ୱାବଧାନ କରୁଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରଜ୍ରବାଣର ଦାମୋଦର ଦାସ ଏହାର ଦ୍ୱୟୀତ୍ୱ ନେଇଥିଲେ l 1896 ମସିହାରେ ଗରଦପୁର ର ପାଣି ଓ ପଣ୍ଡା ବଂଶଧର ଠାକୁରଙ୍କ ସ୍ୱତ୍ୱକୁ ଲଷ୍ମୀନାରାୟଣ ଜଗଦେବ ଠାରୁ ମାଲିକାନାସତ୍ୱ ହାସଲ କରିଥିଲେ l ଦାମୋଦର ଦାସ ଙ୍କ ସମୟରୁ ଗରଦପୁରରେ ରଥଯାତ୍ରା ପର୍ବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଆସୁଅଛି l ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଜୀଉ ବର୍ତମାନର ରଥଦାଣ୍ଡର ପାଣିସାହି ଠାରେ ପୂଜା ପାଇଆସୁଛନ୍ତି, ଚନ୍ଦନ ଯାତ୍ରା ରେ ଓ ଦୋଳ ଉତ୍ସବରେ ଅଂଚଳର ବିଭିନ୍ନ ଗ୍ରାମରେ ପରିଭ୍ରମଣ କରିବା ସହ ଅଂଚଳର ବିଭିନ୍ନ ଗ୍ରାମରେ ଦାଣ୍ଡ ଭୋଗ ଖାଆନ୍ତି l
ଶ୍ରୀ ବଳଦେବଜୀଉ ମନ୍ଦିର ବ୍ୟତୀତ ବ୍ରହ୍ମେଶ୍ୱର, ପଶ୍ଚିମେଶ୍ୱର, ବିଶ୍ୱେଶ୍ୱର ଓ କାଶୀ ବିଶ୍ୱନାଥ, ଚାରିଶମ୍ଭୁ ଏହି ଗ୍ରାମରେ ବିଦ୍ୟମାନ l ମା ବୁଢ଼ୀ ଜାଗୁଳାଇ, ମା କନକ ଦୁର୍ଗା, ଓ ଦେବୀ ଦୁର୍ଗା ମଣ୍ଡପ ଏହି ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ l ମା ବୁଢ଼ୀ ଜାଗୁଳାଇଙ୍କ ପୀଠରେ ଜାଗ୍ରତ ଗୌରୀ ପଞ୍ଚମୀ ଅତି ଧୁମ ଧାମର ସହ ହଜାର ହଜାର ଭକ୍ତଙ୍କ ସମାଗମରେ ପାଳନ କରାଯାଏ l ଏଠାରେ ଏକ ଅନନ୍ୟ ପ୍ରଥା ରହି ଆସିଛି, ମା ବୁଢ଼ୀ ଜାଗୁଳାଇଙ୍କ ଝିଅ ରେବତୀ ବର୍ଷସାରା ବଳଭଦ୍ରଙ୍କ ନିକଟରେ ପୂଜାପାଉଥିଲେ ମଧ୍ୟ ଚିତା ଲାଗି ଅମାବାସ୍ୟା ଠାରୁ ଗୌରୀ ପଞ୍ଚମୀ ପର୍ଯ୍ୟନ୍ତ ମା ବୁଢ଼ୀ ଜାଗୁଳାଇଙ୍କ ପାଖକୁ ଯାଇ ଝୁଲଣ ଯାତ୍ରା କରନ୍ତି, ଭକ୍ତମାନଙ୍କ ମନସ୍କାମନା ପୂରଣ ହେଲେ ପଶୁ ପକ୍ଷୀ ବଳି ମଧ୍ୟ ଦିଆଯାଉଥିଲା l ଗରଦପୁରର ତ୍ରିଛକି ତଥା ବଳଦେବଜୀଉ ମନ୍ଦିରର ପଶ୍ଚିମ ଦିଗରେ ଶୋଭା ପାଉଛନ୍ତି ବଜରଙ୍ଗବାଲି ଶ୍ରୀ ହନୁମାନ l ଶ୍ରୀ ମହାବୀରଙ୍କ ଜନ୍ମଦିନ ଧୁମ ଧାମ ସହ ପାଳନ କରେ ମହାବୀର କମିଟି ଓ ୩ ଦିନ ଧରି ଚାଲେ ଅଖଣ୍ଡ ବିଶ୍ଵଶାନ୍ତି ଯଜ୍ଞ l
ଗରଦପୁରରେ ବ୍ଲକ, ତହସିଲ, ୟୁକୋ ବ୍ୟାଙ୍କ, ପଶୁଚିକିତ୍ସାଳୟ, ମେଡିକାଲ, ଉଠା ଜଳସେଚନ ଅଫିସ, ସାପ୍ତାହିକ ହାଟ, ଉଚ୍ଚ ବିଦ୍ୟାଳୟ, ଇଲେଟ୍ରି ଅଫିସ ମଧୁବାବୁ ପାଠାଗାର, ସରସ୍ବତୀ ବିଦ୍ୟା ମନ୍ଦିର, ସବ ପୋଷ୍ଟ ଅଫିସ ଓ ପ୍ରାଥମିକ ସେବା ସମବାୟ ସମିତି ଇତ୍ୟାଦି ରହିଥିବା ସ୍ଥଳେ ଏବେ ମଧ୍ୟ ଅନେକ ସମସ୍ୟା ଅଂଚଳର ଉନ୍ନତି ପଥରେ ବାଧକ ସାଜିଛି l
ପ୍ରାଚୀନ ବଳଦେବଜୀଉ ମନ୍ଦିରର ଉନ୍ନତି,ନୀତିକାନ୍ତି ଓ ଶକ୍ତିପୀଠ ମା ବୁଢ଼ୀଜାଗୁଳାଇ ଙ୍କ ମୁଖଶାଳା ଓ ଐତିହାସିକ ଦିଗୀ ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସରକାରଙ୍କ ସାହାଯ୍ୟ ଜନସାଧାରଣ ଦାବି ରଖୁଥିବା ବେଳେ, ଟ୍ରେଜେରୀ ଅଫିସ ଖୋଲିବା, ନିର୍ମିତ ନାଳରେ ଜଳ ସେଚନ ପାଇଁ ପାଣି ଛାଡିବା ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଜନସାଧାରଣ ଚାହିଁ ରହିଛନ୍ତି l
ଗରଦପୁରର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋପବନ୍ଧୁ ପାଣି(98)ବିଷ୍ଣୁ ଚରଣ ପାଣି(96)ନଟବର ପାଣି(97) ଯାଦୁନାଥ ପାଣି (76),ବଟକୃଷ୍ଣ ପଣ୍ଡା(87) ପହଲ୍ଲାଦ ପାଣି (86)ଖଗେଶ୍ୱର ପଣ୍ଡା(87), ବୈଷ୍ଠବ ପାଣି (90) ଓ ମୃତ √ବୀର କିଶୋର ପାଣି, √ପ୍ରହଲ୍ଲାଦ ପଣ୍ଡା ଓ √ଆନନ୍ଦ ପଣ୍ଡା ଙ୍କ କଥାରୁ ଯାହା ଜଣାପଡେ ଗରଦପୁରର ରାଜା ଦିଗାମ୍ବର ଦେବ ବ୍ରାହ୍ମଣ ଥିଲେ ଓ ରାଜା ପୁରୀରୁ ଗରଦପୁରକୁ ଆସିବା ସମୟରେ ତାଙ୍କ ଆରାଧ୍ୟ ମଦନ ମୋହନଙ୍କୁ ସାଙ୍ଗରେ ଆଣି ଗରଦପୁରରେ ନିଜ ଉଆସ ନିକଟରେ ଅବସ୍ଥାପିତ କରିଥିଲେ l ରାଜା ତାଙ୍କ ଉଆସ ଓ ଆରାଧ୍ୟ ମଦନମୋହନଜୀଉଙ୍କ ଚତୃପାର୍ଶ୍ୱରେ ତାଙ୍କ ବଂଶଧରଙ୍କ ଗୃହ ତୋଳାଇଥିଲେ, ଯାହା ବର୍ତମାନ ପ୍ରମାଣ କରୁଛି ରାଜାଙ୍କ ଉଆସଢିହରେ ଅଧିକାଂଶ ପୈତୃକ ସତ୍ବାଧୀକାର ଡମ୍ବରୁ ପାଣି, ବୀର ପାଣି,ଯଇରାମ ପାଣି, ନଟବର ପାଣି, ନିଶାମଣୀ ପାଣି, ସତ୍ୟବାଦୀ ପାଣି,ବ୍ରଜ କିଶୋର ପାଣି, ବଳରାମ ପାଣି ଇତ୍ୟାଦିଙ୍କ ଉତ୍ତରାଧିକାରୀ ମାନେ ଅଟନ୍ତି ଓ ଗରଦପୁରର ବଳଦେବଜୀଉଙ୍କ ଚଳନ୍ତି ପ୍ରତିମାଙ୍କ ସତ୍ଵାଧିକାରୀ ମଧ୍ୟ ଏହି ବଂଶଧରମାନେ,ସମ୍ଭବତଃ ଏମାନେ ଦିଗାମ୍ବର ରାଜାଙ୍କ ବଂଶଧର ବା ରକ୍ତ ସମ୍ପର୍କୀୟ ଥିଲେ l ପୁରୁଖା ଲୋକଙ୍କ କହିବା କଥା ଓ ଗରଦପୁର ର ପାଣି ବଂଶଙ୍କ ଉତ୍ତରାଧିକାରୀଙ୍କ ଦାବି ଉଆସଢିହ ଅଂଚଳକୁ ପ୍ରତ୍ନତ୍ୱତ ଖନନ କଲେ ଗରଦପୁର ଅଂଚଳର ଅନେକ ପୁରୁଣା ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ଓ ଗରଦପୁର ଅଂଚଳ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରନ୍ତା l